Unknown

 

 

 

 

 

 

 

 

 

 

 

କନକ

ଶ୍ରୀ ନରହରି ତ୍ରିପାଠୀ

 

ଉତ୍ସର୍ଗ

 

ବୋଉ,

 

ତୁ ଜୀବନରେ ଶତ ଯନ୍ତ୍ରଣା ଭୋଗି କେତେ ରକ୍ତ ଢାଳି, କେତେ ରୁଧିର ବୁହାଇ ଆମକୁ ଜନ୍ମ ଦେଇଥିଲୁ । ଆଉ ତୋର ସମସ୍ତ ସୁଖ-ସ୍ଵାଚ୍ଛନ୍ଦ୍ୟକୁ ତ୍ୟାଗ କରି ବଢ଼ାଇଥିଲୁ କେତେ ଯତ୍ନରେ, କେତେ ଆଦରରେ । କିନ୍ତୁ ସେ ସବୁକୁ ଏକାବେଳକେ ପାସୋରି ଦେଇ ତୁ ତୋର ପ୍ରୟାଣ ରଚିଲୁ ସେହି ନିଭୃତ ସଂରକ୍ଷିତ କେଉଁ ପବିତ୍ର ପୀଠକୁ । ସେତେବେଳେ ଆମକୁ ‘ବୋଉ’ ଡାକ ଛଡ଼ା ଆଉ କିଛି ଜଣା ନଥିଲା । ଜାଣିବାର ଶକ୍ତି ମଧ୍ୟ ଆସି ନଥିଲା । ସେବା କ’ଣ, ଭକ୍ତି କ’ଣ, ପ୍ରେମ କ’ଣ, ମାୟା କ’ଣ, ମମତା କ’ଣ, ସମସ୍ତ ଥିଲା ଆମର ଅଗୋଚରରେ ।

 

ଆମର ଏସବୁ ଜାଣିବାର ଭାର ତୁ ଲଦିଦେଇ ଗଲୁ ନନାଙ୍କ ଉପରେ; ଆଉ ତୋର ଏ ଗୁରୁ-ଦାୟିତ୍ଵକୁ ଧୈର୍ଯ୍ୟର ସହ ସେ ବହନ କରିନେଇଥିଲେ; ଯାହାଫଳରେ ଆଜିର ଏ ସ୍ତରକୁ ଆମେ ପାଦ ବଢ଼ାଇ ସମସ୍ତ ପାଇପାରିଛୁ, କିନ୍ତୁ ପାଇଲୁ ନାହିଁ ତୋତେ । ଶତଚେଷ୍ଟାରେ ବି ତୁ ଦେଖା ଦେଲୁନାହିଁ ଆମକୁ, କି ‘ବୋଉ’ ବୋଲି ଡାକିବାକୁ ଆଉ କହିଲୁ ନାହିଁ ।

 

ତୋର ବୋହୂ ହୋଇ ଆସିଥିଲା ଏକ ଅପୂର୍ବ ସୁନ୍ଦରୀ କନକମଞ୍ଜରୀ । ସେ ତୋତେ ନପାଇ କେତେ ଲୁହ ଢାଳି ଖୋଜି ବୁଲୁଥିଲା ତୋର ସେବା କରିବାପାଇଁ । ତା’ଠାରେ ସନ୍ତୁଷ୍ଟ ହୋଇ ମୋ’ଠୁ ଛଡ଼ାଇ ତୁ ତାକୁ ଡାକି ନେଇଗଲୁ ସେବା ପାଇବା ପାଇଁ ତୋର ସେହି ପବିତ୍ର ପୀଠକୁ । ଆଉ ମୋର କୋମଳ ରଙ୍ଗୀନମୟ ତରୁଣ ଜୀବନକୁ ଏ ଦୁଃଖର ବାରିଧିରେ ଭସାଇଦେଇ ଗଲୁ ଖଣ୍ତେ ଭଙ୍ଗା ତରୀଟିରେ । ମୁଁ ଥିଲି ତା’ର ପ୍ରଣୟ ଭିକାରୀ, ଆଉ ସେ ତା’ର ସର୍ବସ୍ଵ ମୋତେ ଦାନ କରିଥିଲା ସେ ଭିକ୍ଷାରେ । କିନ୍ତୁ ମୁଁ କିଛି ଦେଇପାରିନଥିଲି । ଆଜି ଏ ଦୁଃଖସାଗରରେ ଭାସି ଭାସି କିଛି ନପାଇ ହେଇଛି ପାଗଳ ଏବଂ ଏ ପାଗଳାମିର ପ୍ରତୀକ ‘କନକ କବିତା’ ହେବ ତା’ର ପ୍ରତିଦାନ । ଇତି ।

 

ତୋର

ଅବାଧ୍ୟ

✽✽✽

 

ଉପହାର ।

 

ପରିଚୟ-

 

ବୈଶାଖ କୃଷ୍ଣ ଦଶମୀ ମେଷ ସଂକ୍ରାନ୍ତି ଏପ୍ରେଲ ୧୩ ତାରିଖ ୧୯୫୮,ରବିବାର ଶ୍ରବଣା ନକ୍ଷତ୍ରେ ମୋର ସହଧର୍ମିଣୀ ‘କନକ’ ଗର୍ଭାବସ୍ଥାରେ ବସନ୍ତରୋଗରେ ପୀଡ଼ିତ ହୋଇ ଏକ ଅଭିନବ କୁମାରୀ ପ୍ରସବ କରି, କିଛି ସମୟ ପରେ ଦୁହେଁ ଦୁହିଙ୍କଠାରୁ ବିଦାୟ ନେଇ ମହାପ୍ରୟାଣ ରଚିଥିଲେ । ତା’ର ଅକାଳ ବିୟୋଗରେ ଏ ‘କନକ-କବିତା’ ଲିଖିତ । ମୃତ୍ୟୁବେଳକୁ ତା’ର ବୟସ ବ ୧୬ । ୮ ।୨ ଦିନ ଥିଲା ।

 

ଲେଖକ

ତା ୪-୫-୫୮

✽✽✽

 

ସୂଚୀପତ୍ର

 

୧.

ବେଦନାର ଶତଧାରେ

୨.

ପ୍ରେମଭିକ୍ଷା

୩.

ବାର୍ତ୍ତା

୪.

ବିବାହ ଦିବସେ

୫.

ବିରହ ସ୍ଵପ୍ନ

୬.

ପ୍ରଣୟର ଛନ୍ଦେ

୭.

ମନ୍ଦିରା

୮.

କନକଚମ୍ପା

୯.

ସ୍ମୃତିମନ୍ଦିରେ

୧୦.

ପ୍ରୟାଣ

୧୧.

ନୁହେ କି ମୁଁ ସନ୍ତାନ ସତେ ତୋର ? (ଜନନୀ ପ୍ରତି)

୧୨.

ମାୟାସଂସାର

-ଆତ୍ମନିବେଦନ

✽✽✽

 

ବେଦନାର ଶତଧାରେ

 

ଅନିମେଷ ନେତ୍ରେ ଅନାଇ ରହିଛି

ଝଲସିଯିବ କି କନକ ପ୍ରତିମା ?

ବାହୁଦ୍ଵୟେ ତାକୁ ବାନ୍ଧିଧରି ମୁଁ

ଚୁମ୍ଵ ଦିଅନ୍ତି ଗଣ୍ତଦେଶ ତାରେ

ବେଦନାର ଶତଧାରେ ।୧।

ନ ପାରନ୍ତା ଫେରି ମୋ ବାହୁବନ୍ଧନୁ

ଲଜ୍ଜା ପାଇଟି ଥରନ୍ତା ତା ଜାନୁ

ସଜାଡ଼ି ନିଅନ୍ତା ତା’ର କେଶ ତନୁ

ସ୍ଵୀକାର କରନ୍ତା ମିନତି ଭରେ

ବେଦନାର ଶତଧାରେ ।୨।

ସଜଳ ନୟନେ ଦେଖନ୍ତା ସେ ମୋତେ

ଚମକ ଆସନ୍ତା ଛାତିରେ ତାହାର

ଉଚ୍ଛୁଳି ପଡ଼ନ୍ତା ପ୍ରେମର ଭଣ୍ତାର

ସରମେ ହସି ଦିଅନ୍ତା ସେ ବାରେ

ବେଦନାର ଶତଧାରେ ।୩।

ଚାହାନ୍ତା ପ୍ରେୟସୀ ମତେ ଲାଜ ଛାଡ଼ି

କରେ ଧରନ୍ତା ମୋ ହୃଦଦେଶ ଭିଡ଼ି

ପଚାରନ୍ତି ହସି ଆଗୋ, ମୁଖ-ଶଶି

ଏବେ ତୁମେ ଯାଇଥିଲ କାହାପୁରେ ?

ବେଦନାର ଶତଧାରେ (୪)

ଢଳି ପଡ଼ିଥାନ୍ତା ମୋର ବାହୁ ଦେଶେ

ନ ରହନ୍ତା ଆଉ ବେଦନା ମୋ ପାଶେ

ଅଧୀର ହୋଇ ମୁଁ ପୀରତି ବେଭାରେ

ପ୍ରେମାମୃତ ଦେଇଥାନ୍ତି ତା’ ଅଧରେ

ବେଦନାର ଶତଧାରେ ।୫।

✽✽✽

 

ପ୍ରେମ ଭିକ୍ଷା

 

ଷୋଡ଼ଶ ବୟସୀ ଦୀର୍ଘ ଘନକେଶୀ ବାଳା

ସ୍ଵର୍ଣ୍ଣ ଜିଣି କାନ୍ତି ମନ୍ଦହାସୀ ଚାରୁଶୀଳା

ନବ ନବୀନା ମହିଳା

କାମସିନ୍ଧୁ ତରିବାକୁ ତୁ ହିଁ ମୋର ଭେଳା ।୧।

ନିଷ୍କଳଙ୍କ ଚନ୍ଦ୍ରମୁଖୀ ପଙ୍କଜ ନୟନୀ

‘କନକ’ ନାମ ଘେନି କୁମାରୀ ଶିରୋମଣି

ଅପରୂପସୀ କାମିନୀ

ବିରହ ବିନାଶିନୀ ତୁ ଭୁବନମୋହିନୀ ।୨।

ସୁଝୀନବସନା ତୁ ଯେ ନବ ଯଉବନା

ଅତୁଳ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ତୋ ଅଙ୍ଗନା

ତୋର ମରାଳ ଗମନା

ଏ ବିପତ୍ତିରେ ସାହା କେ ନାହିଁ ତୋହ ବିନା ।୩।

ବିରହେ ଘାରୁଛି ଚିତ୍ତ ମାର ଦୃଶାଞ୍ଚଳେ

ବାରେ ମାତ୍ର ପ୍ରେମବାରି ଯତ୍ନେ ଚାରୁଶୀଳେ

ମନ୍ତ୍ରି ମୋହନ ମନ୍ତରେ

ସିଞ୍ଚି ଏ ବେଦନା ନାଶ ମାଗେ ତୋ ଛାମୁରେ ।୪।

ଦୁସ୍ତର ଶୋକ ସାଗରେ ବୁଡ଼ି ମୁଁ ଗୋ ଗୋରି

ଆକୁଳେ ଡାକୁଛି କୋଳେ ନିଅ କୃଶୋଦରି

ତୁ ଯେ କନକ ମଞ୍ଜରୀ

ଲବେ ମାତ୍ର ଜୀବ ଅଛି ତୋ ନାମ ସୁମରି ।୫।

ଜାଣି ବିପଦସଂକୁଳ ମାରୁ ଘୋର ବନେ

ଭ୍ରମେ ପଥ ହୁଡ଼ି ବୁଲେ ତୋ ରୂପ ଦର୍ଶନେ

ତୋର ପ୍ରେମାଲୋକ ଦାନେ

ଶାନ୍ତି ଦେଇ ପାଅ ଯଶ, ଏ ପାପୀ ଜୀବନେ ।୬।

ଝୁରି ଝୁରି ନସରଇ ଦିବସ ଶର୍ବରୀ

ଜାଗରଣେ ସ୍ଵପ୍ନେ ଦେଖେ ତୋ ରୂପ ମାଧୁରୀ

ଅଙ୍ଗୀକାର କରି ଗୋରି

କିଣାଜନେ ଅନୁରାଗେ ଢାଳ ପ୍ରେମବାରି ।୭।

✽✽✽

 

ବାର୍ତ୍ତା

 

ତୋ ଲାଗି କେତେ ମୁଁ ପୂଜିଛି ଦେବତା

ତୋ ଲାଗି କେତେ ମୁଁ ନୁଆଇଁଛି ମଥା

ବୁଲି ବୁଲି ଦିଅଁ ପାଶେ

ତୋତେ ପାଇବାର ଆଶେ ।୧।

ତୋହ ଲାଗି କେତେ ମୁଁ ବେଲ ପତର

କେତେ ବା ଦେଇଛି ଚନ୍ଦନ ଅଗୁର

ତୋ ରୂପେ ହୋଇ ବିଭୋର

ଦେଖି ତୋ ରକ୍ତିମାଧର ।୨।

କେତେ ଗଗେଇଶ କେତେ କନିଅର

ଲିଙ୍ଗେ ମୁଁ ଢାଳିଛି କେତେ କ୍ଷୀର ନୀର

ପାଇବାକୁ ସେବା ତୋର

କି ସୁନ୍ଦର ରୂପ ତୋର ।୩।

ତୋ ଲାଗି କେତେ ମୁଁ ଲେଖିଛି କବିତା

କେତେ ଦେଇଅଛି ତୋ ପାଶେ ବାରତା

ପାଇବାକୁ ତୋର କଥା

ସହି ନପାରି ମୁଁ ବ୍ୟଥା ।୪।

ପାଇଛି ମୁଁ ତୋତେ ଦି’ଦିନ ମାତର

ଏବେ କରିଗଲୁ ତୁ ମୋତେ ଅନ୍ତର

ସେ ବସନ୍ତ କରେ କର–

ଧରି ନେଲା ନଦୀ ତୀର ।୫।

✽✽✽

 

ବିବାହ ଦିବସେ

 

କେଉଁ ବସନ୍ତର ମଧୁ ମହୋତ୍ସବେ ପ୍ରକୃତି ରାଣୀ

କୋକିଳ କୂଜନେ ପରଶିଥିଲା ସେ

ପ୍ରଣୟ-ମଦିର କବିତା ବାଣୀ;

 

ଦୋହଲି ସରାଗେ ମଳୟ ହିଲ୍ଲୋଳେ ମଧୁପ ଯୁବା

ଗୁଣୁ ଗୁଣୁ ସ୍ଵରେ ଚୁମ୍ଵି ଯାଉଥିଲା

କୁସୁମ ରାଣୀର କେଶର ଗଭା;

 

କୁଟଜ କୁସୁମ ଲୋଧ୍ର ପରାଗେ ବିଛାଇ ରେଣୁ

ଧରଣୀ ରାଣୀର ପ୍ରଣୟ ଉତ୍ସବେ

ଶୁଭୁଥିଲା କେତେ ସୃଜନ ବେଣୁ;

 

ସେ ମଧୁ ମାଧବୀ ବାସନ୍ତିକ ଲଗ୍ନେ (ଆମେ) ନବ ପ୍ରଣୟୀ

ସଂସାର ବନ୍ଧୁର ପଥେ ଦୁଃଖ ଭୁଲି

ପାଉଥିଲୁ କେତେ ଆନନ୍ଦ ତହିଁ;

 

ସେ ଦିନ ଭାଇନା ଦେଇଥିଲେ ତାଙ୍କ ଶୁଭ ବାରତା

“ହେବ ଦୀର୍ଘଜୀବୀ ଭାଇ ‘ନରହରି’

ନବୋଢ଼ା କୁମାରୀ ‘କନକଲତା’;

 

ଲଭିବେ ଆନନ୍ଦ ପରସ୍ପର ପ୍ରତି ମମତା ଭରି

ବିପଦ ପିଚ୍ଛିଳ ସଂସାର ପଥେ

କୁସୁମିତ କରି ଜୀବନତରୀ ।”

 

ହୁଳହୁଳି ସଙ୍ଗେ ଶୁଭୁଥିଲା କେତେ ଶଙ୍ଖ ମହୁରୀ

ଶବଦେ ଉଚ୍ଛୁଳି ବିବାହ ଉତ୍ସବ

ଖେଳୁଥିଲା କେତେ ଶୋଭା ମାଧୁରୀ ।

✽✽✽

 

ବିରହ ସ୍ଵପ୍ନ

 

ଯାଉ ଯାଉ ପଥେ କେଉଁ ଅବଳାକୁ ଦେଖି

ଚମକି ପଡ଼ି ଭାବେ ତୋହରି ରୂପ ସେ କି ?

ସତ କି ମିଛ ବୋଲି ଚାହେଁ ମୁଁ ନିରେଖି ରେ

ଶିହରଣ ଉଠେ ମୋ ଗଭୀର ହୃଦସ୍ତରେ;

ଜାଗ୍ରତେ ତାକୁ ଯେବେ ଅନାଏ ବଲବଲ

ସତେ କି ମନେ ହୁଏ ତୋହରି ଅବିକଳ;

ତୋହରି କାୟା ମାୟା ତୋହରି ବର୍ଣ୍ଣ ସବୁ

ତୋହରି ଢଙ୍ଗ ଢାଙ୍ଗ ତୋହରି ବେଶସବୁ;

ମନେହୁଏ ଡାକିବି ତୋହରି ନାଆଁ ଧରି

ଜାଗି ମୁଁ ଭାବି ଦେଖେ ଉଠୁଛି (ମୋ) ଜିଭ ଥରି;

ତୋ ପ୍ରୀତି ବିରହ ସ୍ଵପ୍ନ ପୁରେ ଭାସେ ମୁହିଁ

ବିଷାଦେ ଜୀବନ ଲୋଟୁଛି ମରମ ଦହି ।

✽✽✽

 

ପ୍ରଣୟର ଛନ୍ଦେ

 

ପ୍ରଣୟର ଛନ୍ଦେ ଏ ତିନି ବସନ୍ତେ

କେତୋଟି ଚାନ୍ଦନୀ ରାତି ଗୋ

ଷୋଡ଼ଶୀର ସାଥେ ପୀରତି ଭିଆଣ

କେଳି କୁଞ୍ଜବନେ ରଚି ଗୋ ।୧।

ପ୍ରୀତି ମାଳ ଗୁନ୍ଥେ ବେଳ ତ ନଥିଲା

ଦରଗୁନ୍ଥା ଥିଲା ମାଳ ଗୋ

ଦରଗୁନ୍ଥା କରି ଛାଡ଼ି ଆସିଥିଲି

ଛିଣ୍ତାଇ ଦେଲା ସେ କାଳ ଗୋ ।୨।

ଦରଗୁନ୍ଥା ମାଳ ଛିଣ୍ତି ତ ଯାଇଛି

ଯୋଡ଼ିବାକୁ କାହା ବଳ ଗୋ

ଆଉ ମାଳ ଗୁନ୍ଥେ ମନ କି ଫେରିବ

ପୃଥ୍ଵୀ ହେଲେ ଦୁଇ ଫାଳ ଗୋ ।୩।

ଭାଙ୍ଗି ପଡ଼ିଅଛି ପ୍ରଣୟ ମନ୍ଦିର

ଛିଣ୍ତି ଯାଇଅଛି ମାଳ ଗୋ

ଭାଙ୍ଗି ତ ଗଲାଣି ଛିଣ୍ତି ତ ଗଲାଣି

ଯୋଡ଼ା ଯୋଡ଼ି ରେ କି ଫଳ ଗୋ ।୪।

କାହାକୁ କହିବି କେ ଅବା ଶୁଣିବ

ହୃଦେ ଲାଗେ ଯେତେ ବ୍ୟଥା ଗୋ

ରହିଛି ରହିବ ସେ ସ୍ମୃତି ମନ୍ଦିରେ

ଲେଖା ଅଛି ଯେତେ କଥା ଗୋ ।୫।

✽✽✽

 

ମନ୍ଦିରା

 

ମନ୍ଦିରାର ସେହି ସୁରମ୍ୟ କାନନେ

ହସ ଖେଳେ ମାତି

ଆଶାରେ ପୀରତି

ସାଜିଥିଲୁ ସଞ୍ଜ ସୁପାତି

ରଚିଥିଲୁ କେତେ ପୀରତି ।୧।

 

ମୋଲାଗି କେତେ ତୁ ସହିଛୁ ଯାତନା

କେତେ ଅପମାନ

କେତେ ନିର୍ଯ୍ୟାତନା

ପଥର ହୋଇଛି ତୋ ଛାତି

ରଚିଥିଲୁ କେତେ ପୀରତି ।୨।

 

ଜନନୀ ହେବାର ଆଶା ଅଭିମାନେ

କେତେ ମନୋବ୍ୟଥା

କେତେ ଆତ୍ମକଥା

ବସା ବାନ୍ଧିଥିଲା ତୋ କତି

ରଚିଥିଲୁ କେତେ ପୀରତି ।୩।

 

ରଚିଥିଲୁ କେତେ ପୁନିଅ ଉଆଁସ

କେତେ ଦଶହରା

କେତେ ଗୁରୁବାର

ପଢ଼ିଛୁ ତୁ କେତେ ପଦ୍ଧତି

ରଚିଥିଲୁ କେତେ ପୀରତି ।୪।

 

ଘୋଗର ଦିଅଁଠେ “କଟକଚଣ୍ତୀଠେ”

ନୁଆଇଁଛୁ ମଥା

ଜାଳିଛୁ ବଳିତା

ଆଶାରେ ସନ୍ତାନ ସନ୍ତତି

ରଚିଥିଲୁ କେତେ ପୀରତି ।୫।

 

ଫଳିଥିଲା ଫଳ ତା’ର ପ୍ରତିଦାନେ

ଅପୂର୍ବ କୁମାରୀ

କଲା କିଏ ଚୋରି

ବିଧାତାର ଏ କି ଅନୀତି

ରଚିଥିଲୁ କେତେ ପୀରତି ।୬।

✽✽✽

 

କନକ ଚମ୍ପା

 

ମୋର ଦରଫୁଟା ଚମ୍ପାଟି ଗୋ ଛିଣ୍ତି ଯାଇଛି

ଏ ଦୁର୍ଦ୍ଦାନ୍ତ ବସନ୍ତ ଗୋ ତାକୁ ତୋଳି ନେଇଛି;

କେତେ ସେହି ଗଛମୂଳେ ମୁଁ ଗୋ ପାଣି ଢାଳିଛି

କିପରି ରହିବି କହ ମୁଁ ଗୋ ତାକୁ ମୂରୁଛି ।୧।

 

ଭାବିଥିଲି ଚମ୍ପା କଳିକାଟି ଫୁଟିବ ଫୁଲ

ନମିଳିବ ସଂସାରେଟି ଆଉ ସେପରି ଫୁଲ;

ନହୋଇ ପାରିବ କେହି ତା’ ସଙ୍ଗେ ସମତୁଲ

ସବୁଠାରୁ ମୋର ହେବ ସେ ଅତ୍ୟଧିକ ମୂଲ ।୨।

 

ଭାବିଥିଲି କେତେ ଦିନୁ ନଯାଏ ମୋହର ମନୁ

ସାଇତି ରଖିବି ଯତ୍ନେ ମୋ ଚମ୍ପାଫୁଲ ତନୁ;

ନସରିବ ତା ସୁବାସ ଏ ମୋର ଉପବନୁ

ଦୁର୍ବାସନା ସବୁ ମୋର ଉଡ଼ିଯିବ ଜୀବନୁ ।୩।

✽✽✽

 

ସ୍ମୃତି ମନ୍ଦିରେ

 

ଚାହିଁଛି ଆଶାର ମୋହେ କେଉଁ ମାତୃହରା

ବୁଡ଼ିଗଲା ନୀଳାକାଶୁଁ ତା ସ୍ନେହର ‘ତାରା’;

ଗଲାବେଳେ କେତେ (ସେ) ଖୋଜିଛି ତାର ପତି

ପଦେ କହିବ କାନେ ବସାଇ ନିଜ କତି;

ସତେ ସେ ବଞ୍ଚିବନି ଜାଣିଛି ବହୁଦିନୁ

ସ୍ଵାମୀର ପାଶେ ସବୁ ବାଢ଼ିଥିଲା ତା’ ମନୁ;

କହିଥିଲା ପୁଣି ହାତଧରି କେତେ ବାର

“ନିଶ୍ଚୟ ଦିନେ ହେବ ସଉତୁଣୀଏ ମୋର ।୦।

ନକରିବ ବିବାହ ମୋ ଜୀବନ ଆଗର

ନକରିବଟି ପର ସବୁ ମୁଁ ଯେ ତୁମର ।୧।

ମଥାରେ ମୋ ରହିଛି ଏ ସଉତୁଣୀ ବାଳ

ବିଧାତା କିପାଁ ହେଲା ମୋଠାରେ ପ୍ରତିକୂଳ ।୨।

ମୋ ଅନ୍ତେ ଲେଖିବ ତୁମେ ସ୍ମୃତିର କବିତା

କିଛିଦିନ ପାଇଁ ତୁମ ହୃଦେ ହେବ ବ୍ୟଥା ।୩।

ଯେତେ ଯେତେ କଥା ଆମ ପ୍ରଣୟ ମନ୍ଦିରେ

ସବୁ ତୁମେ ଭୁଲିଯିବ ଦିନ କେଇଟାରେ ।୪।

ସହି ନ ପାରିବ ତୁମେ ମୋହରି ବିରହ

ରହି କି ପାରିବ ତୁମେ ନ କରି ବିବାହ ? ।୫।

ଆଣିବ ଆଉ ଏକ ମୋ’ଠୁ ବେଶି ସୁନ୍ଦରୀ

ଉତ୍ତଳା ସ୍ଵଭାବ ଥିବ ତାହାଠାରେ ପୂରି ।୬।

ହୀରାକୁଦ ବନ୍ଧ ଦେଖା ହେବ ନାହିଁ ମୋର

ଯେତେ କିଲଗନା ସବୁ ରହିବ ଅନ୍ତର ।୭।

ନାହିଁ ମୋହର ଭାଗ୍ୟେ ଆଉ ସେ ଶିଳ୍ପପୁରୀ

ତୁମେ କି ପାଇବ ମୋତେ ଶିଳ୍ପଶିକ୍ଷା ସାରି ।୮।

ଆଉ କି ଯିବ ତୁମେ ତୁମ ଶଶୁର ଘର

ଦେଇପାରି ନାହାନ୍ତି ସେ ଯଉତୁକ ଭାର ।୯।

ଦି ବର୍ଷ ଧରି ତାଙ୍କୁ ଦେଇନାହିଁ ପତର

ମୋ ପାଇଁ ସିନା ସବୁ ଏତେ ପାତ୍ର ଅନ୍ତର ।୧୦।

ଦେଖିବ ବୋଉଙ୍କ ପରି ହେବ ମୋର ଦଶା

ନ କରିବ ତୁମେ ଆଉ ଯଉତୁକ ଆଶା ।୧୧।

ପାଇଛି ମୁଁ ସବୁ କିନ୍ତୁ ପାଇନି ବୋଉଙ୍କୁ

ବୋହୂ ହୋଇ ଆସିଥିଲି ସେବା କରିବାକୁ” ।୧୨।

ଭାବୀ ବାଣୀ ଗାଇଥିଲା ସେ ‘କନକତାରା’

ସ୍ମୃତିମନ୍ଦିରେ ରଖିଲା କେଉଁ ପତ୍ନୀହରା ।୧୩।

✽✽✽

 

ପ୍ରୟାଣ

 

ପ୍ରଣୟ ପ୍ରଣୟୀ ଧୀରେ

ରଚିଥିଲୁ କେତେ ମିଳନ ସପନ

ଆମ ପ୍ରଣୟ ମନ୍ଦିରେ ।୧।

 

ଛାତି ପରେ ଛାତି ଥୋଇ

ମିଶି ଗାଉଥିଲୁ ମିଳନ ସଙ୍ଗୀତ

ପ୍ରଣୟ ବିଧୁର ହୋଇ ।୨।

 

ପ୍ରକୃତି କାନନ କାହିଁ

ସଖା ସଖୀ ଆମେ କେଦାର ଗଉରୀ

ଗଉରୀ ତ ଆଉ ନାହିଁ ।୩।

 

ଗଲା ମୋ ଗଉରୀ କାହିଁ

ଏକା ଥିଲୁ ଆମେ ପ୍ରଣୟ ମନ୍ଦିରେ

ଭିନ୍ନ ତ ନଥିଲା ତହିଁ ।୪।

 

ଯାଇଛି, ମୋ ମୁଖ-ଶଶୀ

ସେ ସ୍ଵର୍ଗଧାମକୁ ଦେବପୂଜା ପାଇଁ

ପ୍ରୟାଣ ରଚିଛି ହସି ।୫।

 

ଜନନୀ !

ନୁହେ କି ମୁଁ ସନ୍ତାନ ସତେ ତୋର ?

 

କାତର ସ୍ଵରରେ ଡାକୁଛି ତୋତେ

ରୁଧିର ବୁହାଇ କାନ୍ଦୁଛି ଏତେ

ଜନନୀ ଗୋ ଦେଖା ଦେଉନୁ ମୋତେ

ନୁହେ କି ମୁଁ ସନ୍ତାନ ତୋର ସତେ ?

ସତେ କି ତୁ ହେଲୁ ମୂକ ବଧିର

ପଥର ହେଲା କି ଛାତି ତୋହର

ନଶୁଣୁଛୁ ମୋର କାତର ସ୍ଵର

ନୁହେ କି ମୁଁ ସନ୍ତାନ ସତେ ତୋର ?

ଏତେ ଡାକରାରେ ଶୁଭୁନି ତୋତେ

ନିଦ୍ରାପୁରୀରେ ତୁ ଭାସୁଛୁ କେତେ ?

ଗର୍ଭୁ ତୋର ଜନ୍ମ ଦେଇଛୁ ମୋତେ

ନୁହେ କି ମୁଁ ସନ୍ତାନ ତୋର ସତେ ?

ଆଠ ବରଷରୁ କଲୁ ଅନ୍ତର

କିପରି ରହିଲୁ ଜନନୀ ମୋର

ସମସ୍ତ ମମତା ତୁଟାଇ ତୋର

ନୁହେ କି ମୁଁ ସନ୍ତାନ ସତେ ତୋର ?

ବରଷ ବରଷ ଗଲାଣି କେତେ

ଚଉଦ ପନ୍ଦର ହେଲାଣି ଏତେ

‘ବୋଉ ଲୋ’ ବୋଲି ମୁଁ ଡାକୁଥେ ତୋତେ

ନୁହେ କି ମୁଁ ସନ୍ତାନ ତୋର ସତେ ?

ଦେଖୁଛୁ ତୁ ରହି ସେ ସ୍ଵର୍ଗପୁର

ହେଉଅଛି ମୁହିଁ କି ନାରଖାର

ହୃଦୟ କିପରି ସହୁଛି ତୋର

ନୁହେ କି ମୁଁ ସନ୍ତାନ ସତେ ତୋର ?

✽✽✽

 

ମାୟା ସଂସାର

 

ଏ ମରୁ ପ୍ରାନ୍ତ

ନାହିଁ କି ଅନ୍ତ ?

ଚାଲିଛି ମୁଁ ଅବିଶ୍ରାନ୍ତ

ନାହିଁ କି ମୋ ପ୍ରାଣେ ଶାନ୍ତ । ଘୋଷା ।

 

ଆଶାର ମୋହରେ ଘୂରି ବୁଲି ହୁଏ କ୍ଳାନ୍ତ

ଏ ମାୟା ସଂସାର କରିଛି କି ମୋତେ ଭ୍ରାନ୍ତ?

ଏ ମରୁ ସଂସାରେ ପାଉନି ମୁଁ ତାର ଅନ୍ତ ।୧।

 

ଜନନୀକି ମୋର ଖୋଜୁଥିଲି ଅବିଶ୍ରାନ୍ତ

ପ୍ରଣୟୀ ବିହୁନେ ହେଲି ଏବେ ହନ୍ତସନ୍ତ

ତଥାପି ଚାଲିଛି ମରୁପ୍ରାନ୍ତେ ଅବିଶ୍ରାନ୍ତ ।୨।

 

ମାୟାର ମୋହ ଯେ କରିଛି ମୋତେ ଜୀବନ୍ତ

ଏ ମର ସଂସାରେ ଲୁଚିଛି କେତେ ଯେ ସ୍ଵାର୍ଥ

ଆଶା ଯେ ମୋହର ପାଇବି ଜୀବନେ ଶାନ୍ତ ।୩।

✽✽✽

 

ଆତ୍ମନିବେଦନ

 

“ଆଜି ମୋର ‘କନକ’ ଆଉ ଇହଜଗତରେ ନାହିଁ । ‘କନକ’ ମୋତେ ଛାଡ଼ି ଚାଲିଯାଇଛି-। ସେ ମୋର ବୋଉ ସହିତ ଭେଟ ହୋଇଥିବ । ସେମାନେ ମୋତେ କ’ଣ ତାଙ୍କ ମଧ୍ୟରେ ସ୍ଥାନ ଦେବେ ନାହିଁ ? ମୁଁ ଯିବି । କିପରି ଯିବି ? ସେ ତ ମୋତେ ଠକିଦେଇ ମୋର ପ୍ରଣୟର ଅପୂର୍ଣ୍ଣତା ଚିରଦିନ ପାଇଁ ରଖିଦେଇ ସ୍ଵର୍ଗପଥର ପଥିକ ହୋଇଛି । ହାୟ ! ସତେ କ’ଣ ମୋର କନକ ସ୍ଵର୍ଗରେ ! ତାକୁ ଦେଖିପାରିଲି ନାହିଁ ।

 

ସେହି ଶେଷ ଦେଖା–ସେହି ଫଗୁଣ ମାସର ଫଗୁ ଦଶମୀର ଶେଷ ରଜନୀ । ହାୟ ! କାହିଁ କେଉଁଠି ସ୍ଵର୍ଗ, ସେଠିକି ହେଲେ ଯା’ନ୍ତି ! କଣ୍ଟା ମାଡ଼ିଲେ ଡର ହୁଅନ୍ତା ନାହିଁ, ଶତ୍ରୁ ଆସିଲେ ଭୀତ ହୁଅନ୍ତି ନାହିଁ । ଯାଉଁ ଯାଉଁ କିଏ ମୁଣ୍ତ କାଟି ନେବାକୁ କହିଲେ ମଧ୍ୟ ଫେରି ଆସନ୍ତି ନାହିଁ । କାହିଁ ସେ ସ୍ଵର୍ଗ ? କେଉଁଠି ? ସେ କ’ଣ ନିଶ୍ଚିତ ପଦାର୍ଥ ? ମନୁଷ୍ୟ ଦେଖିପାରେ? କାହିଁ କେଉଁ ସ୍ଵର୍ଗ ସେ ? ହାୟ ! ମୋର ପାପ କ’ଣ ମୋତେ ସେହି ପଥର ପଥିକ କରିଦେବ ! ମୁଁ ତ ପାପୀ–ମହାପାପୀ !

 

‘କନକ’ ମୋର ଚାଲିଯାଇଛି, ମୋର ହୃଦରାଜ୍ୟ ଶୂନ୍ୟ କରି–ମୋର କୋଳ ତୁଚ୍ଛା କରି–ମୋର କଳ୍ପନାର ବାଡ଼ ଭାଙ୍ଗି–ଦେଇ–ମୋର ଆଶା ତୁଳିକା ଛିଣ୍ତାଇ ଦେଇ–ମୋର ଚିନ୍ତାପଥ ରୁଦ୍ଧ କରିଦେଇ କେଉଁ ଦେଶକୁ–ଯେଉଁ ଦେଶରେ ଜରା ନାହିଁ, ମୃତ୍ୟୁ ନାହିଁ, ଦୁଃଖ ନାହିଁ, ରିପୁ ନାହିଁ–ସବୁ ଆନନ୍ଦ, ସବୁ ସ୍ଵାଧୀନ, ମୁକ୍ତ–ସମସ୍ତ ଅମୃତମୟ ।

 

ମାତ୍ର ଏହି ମର ସଂସାରରେ କେବଳ ଦୁଃଖରେ ଦୁଃଖୀ ମୁଁ, ଜଣକ ପାଇଁ–ସେହି କ୍ଷଣଜନ୍ମା ସୌଦାମିନୀ, ସେହି ମୋର ପ୍ରୀତି–ପସରା ‘କନକ’ ପାଇଁ । ତା’ରି ପାଇଁ ଏ ବିପଦ–ନଈରେ ମୁଁ ଏବେ ଭାସୁଛି । ମୋର ପ୍ରାଣରେ ରହିଗଲା ଅପୂର୍ଣ୍ଣତା ।

 

ମୁଁ ବ୍ରାହ୍ମଣ, ମୋର ଗାୟତ୍ରୀ ‘କନକ’ । ସେ ମୋର ସର୍ବଦା କଣ୍ଠଭୂଷଣ, ମୁଁ ଦିନରାତି ସର୍ବଦା ‘କନକ’ ‘କନକ’ କହି ମୁକ୍ତି ପାଇବି । ‘କନକ’ ଯୋଗେ ମୋର ସମସ୍ତ ଅପୂର୍ଣ୍ଣତା ରହିଗଲା-। କେତେ ଆଶା ମନରେ ପୋଷିଥିଲି–କେତେ ଚିନ୍ତା ହୃଦୟରେ ସ୍ଥାନ ଦେଇଥିଲା–ସବୁ ବିଫଳ ହେଲା, ସବୁ ଜଳି ପୋଡ଼ିଗଲା ।

 

ତା’ରି ଯୋଗେ ମୁଁ ଆଜି ଦିଶହରା, ତା’ରି ଯୋଗେ ମୋତେ ରମ୍ୟ ପ୍ରକୃତି ଦିଶୁଛି ଅସୁନ୍ଦର, ତାରି ଯୋଗେ ମୋତେ ଏ ରୂପପସରା କୁମାରୀ ସବୁ ଅଶୋଭା ଦିଶୁଛନ୍ତି–ସେମାନଙ୍କ ମଧୁର କଣ୍ଠ ମୋର କାନକୁ ଶ୍ରୁତିକଟୁ ବୋଧ ହେଉଛି, ତାରି ଯୋଗେ ଅମୃତ ମୋତେ ବିଷପରି ବୋଧ ହେଉଛି, ତାରି ଯୋଗେ ମୋତେ ଚନ୍ଦ୍ରର ଜ୍ୟୋତ୍ସ୍ନା କଷ୍ଟକର ହେଉଅଛି, ତାରି ଯୋଗେ ମୋତେ କେତକୀ, ଚମ୍ପା, ବକୁଳର ଗନ୍ଧ ଦୁର୍ଗନ୍ଧ ବୋଧ ହେଉଅଛି–ବସନ୍ତ–କୋକିଳର ତାନ କର୍କଶ ବୋଧ ହେଉଅଛି ।

 

ବାଳକ ବାଳିକାର ବିମୋହନ ରୂପ ମୋତେ ବିବର୍ଣ୍ଣ ଦେଖା ଯାଉଅଛି ।

 

ତା’ ଯୋଗେ ଜଗତ ମୋ ଚକ୍ଷୁରେ ଅନ୍ଧକାର । ମୁଁ ତାରି ଯୋଗେ ସମୟେ ସମୟେ କିଂକର୍ତ୍ତବ୍ୟବିମୂଢ଼ । ହାୟ ରେ, ମୋର ଚିର ସାଥୀ !

 

ଆଜି ତା’ରି ସ୍ମୃତି ପାଇଁ ତା’ରି ନାମରେ ଲେଖିଲି ଏ କବିତା । ଏ ‘କନକ’ ନାମ୍ନୀ କବିତା ହେବ ଜଗତରେ କନକ ପରି ଅମୂଲ୍ୟ ରତ୍ନ । ସେ ଅହ୍ୟରାଣୀ, ଅମୃତମୟୀ, ସୁଧାସ୍ୟନ୍ଦିନୀ–ପବିତ୍ର ମୁହୂର୍ତ୍ତରେ ସ୍ଵର୍ଗବାସିନୀ । ଧନ୍ୟ ସେ । ଧନ୍ୟ ତା’ର କପାଳ । ଧନ୍ୟ ତା’ର ଚିନ୍ତା, ଧନ୍ୟ ! ତା’ରି ମୂର୍ତ୍ତିପଟକୁ ଗଳାରମାଳା କରିବି । ସେ ମୋର କୃଷ୍ଣ, ସେ ମୋର ରାମ, ସେ ମୋର ଗୋପାଳ, ପ୍ରେମର ମୂର୍ତ୍ତି । ତା’ରି ନାମ ହିଁ ମୋ ପରି ଅଜାମ୍ଵିଲର ନାରାୟଣ ନାମ । ତା’ଠି ମୋର ହୃଦୟ ବନ୍ଧା । ସେ ମୋର ଧ୍ୟାନ, ଆଶା-କଳ୍ପନାର ସହଚରୀ ପ୍ରେମିକା । ତା’ ଛଡ଼ା ଜଗତରେ ଅନ୍ୟ କାହାକୁ ସାବିତ୍ରୀ ମନ୍ତ୍ରୀ କରିପାରେ ନାହିଁ । ସେ ମୋର ଜଗତର ସମସ୍ତ ବିମୋହନ ବସ୍ତୁ ମଧ୍ୟରେ ଅରବିନ୍ଦ-ଇନ୍ଦୁ, ଦାମିନୀ- ମନ୍ଦାକିନୀ, ନନ୍ଦନ-ପାରିଜାତ, କୌସ୍ତୁଭ-କନକ ଓ ଶକୁନ୍ତଳା । ଚିରଦିନ ପାଇଁ ରହିଗଲା ଅପୂର୍ଣ୍ଣତା–ମୋତେ ଅପୂର୍ଣ୍ଣରେ ରଖି ସେ ଚାଲିଗଲା । ଏହି ଅପୂର୍ଣ୍ଣତା ଆଉ ପୂର୍ଣ୍ଣ ହେବ ନାହିଁ–ମୋର ଆଶାର ମିଳନ ଆଉ ଘଟିବ ନାହିଁ ।

 

ଚିନ୍ତା-କଳ୍ପନା-ଜଳ୍ପନା-ଧ୍ୟାନ-ଧାରଣା-ଭବିଷ୍ୟତ୍–ସମସ୍ତ ମୋର ଅପୂର୍ଣ୍ଣ ରହିଲା । ତା’ପାଇଁ କାନ୍ଦୁଥିଲି–କାନ୍ଦୁଛି–କାନ୍ଦିବି, ପୁଣି କାନ୍ଦିବି । କାନ୍ଦି କାନ୍ଦି ଜଗତ ଭସାଇଦେବି । ଅଶ୍ରୁର ଜୁଆର ସେହି ଅଗମ୍ୟ ଅପାର ଭୂମା ସନାତନଙ୍କ ମନ୍ଦିରରେ ଲାଗିବ ।

 

ସେ ମୋର ଆତୁର ଗୁହାରି ଶୁଣିବେ, ‘କନକ’ ସହ ମୋତେ ମିଶାଇଦେବେ । ସବୁ ଅପୂର୍ଣ୍ଣତା ଭାଙ୍ଗିଯିବ ପୁଣି ପୂର୍ଣ୍ଣତା ଆସି ପହଞ୍ଚିବ–ପୁଣି ଅନ୍ଧକାର ଦୂର ହୋଇଯିବ, ବତାସ ବନ୍ଦ ହୋଇଯିବ, ପୁଣି ସୌନ୍ଦର୍ଯ୍ୟ ଫୁଟି ଉଠିବ–ସ୍ଵର୍ଗର ବିମଳ ଆଲୋକରେ ଦୁଇଟି ପ୍ରାଣୀ ସ୍ଵର୍ଣ୍ଣ ସିଂହାସନରେ ବସି ଅଭିଷେକ ହେବେ–ଉର୍ବଶୀ, ମେନକା, ରମ୍ଭା, ଚିତ୍ରରେଖାଙ୍କର ମଧୁ ସଙ୍ଗୀତ ଉଚ୍ଛ୍ଵସି ଉଠିବ ।”

 

କିନ୍ତୁ ମୋ ପ୍ରାଣରେ ଆଜିର ଅପୂର୍ଣ୍ଣତା ଭିତରେ ମୋର ଏହି ଅପୂର୍ଣ୍ଣ କବିତାଗୁଡ଼ିକ ହେବ ଅପୂର୍ଣ୍ଣ ସ୍ମୃତି, ଆଉ ତା’ର ପବିତ୍ର ନାମରେ ନାମକରଣ ହୋଇଥିବା ଯୋଗୁଁ ଏ ହେବ ଜଗତରେ କନକ ପରି ଅମୂଲ୍ୟ ରତ୍ନ ।

 

କଲିକତା,

ତା ୪-୫-୫୮

Image